ବାପାଙ୍କ ରେଡ଼ିଓ

ରେଡ଼ିଓ ଆଜିକାଲିକା ପିଲା ବୋଧେ କେହି ଦେଖିନଥିବେ କି ଶୁଣିନଥିବେ। କିନ୍ତୁ ପୂର୍ବ ସମୟରେ ଏହା ମନୋରଞ୍ଜନର ଏକ ଗୁରୁତ୍ୱପୂର୍ଣ ମାଧ୍ୟମ ଥିଲା । କାହିଁ ଆମ ଜେଜେବାପା କିମ୍ବା ତାଙ୍କ ବାପାଙ୍କ ସମୟରୁ ରେଡିଓ ବାଜିଲେ ଘରେ ଘରେ ଖୁସିର ଲହରୀ ଖେଳି ଯାଉଥିଲା। ସେ ପାଣିପାଗର ସୂଚନା ହେଉ କି ଦେଶ ବିଦେଶର ଖବର ହେଉ , ନୂଆ ଚଳଚ୍ଚିତ୍ରର ମନ ମତାଣିଆ ଗୀତ ହେଉ ଅଥବା ପାଲା ଦାସକାଠିଆ ହେଉ , ଲୋକେ ସବୁ ରେଡିଓ ମାଧ୍ୟମରେ ହିଁ ଶୁଣୁଥିଲେ ଏବଂ ରେଡିଓ ସମସ୍ତଙ୍କ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ବିଶେଷ ଥିଲା । ରେଡିଓର ବଟନ୍ କୁ ଘୁରାଇ ଦେଲେ ଅଲଗା ଅଲଗା ଆକାଶବାଣୀ କେନ୍ଦ୍ରରୁ ଭିନ୍ନ ଭିନ୍ନ ପ୍ରକାରର କାର୍ଯକ୍ରମ ଉପଭୋଗ କରି ହେଉଥିଲା । ସକାଳୁ ସକାଳୁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହେଉଥିବା ଓଡ଼ିଆ ଭାଗବତ ଶୁଣି ଘରେ ଘରେ ଭକ୍ତିଭାବ ସଞ୍ଚାରିତ ହେଉଥିଲା। କହିବାକୁ ଗଲେ ରେଡିଓ ପ୍ରତି ଘରେ ଏକ ମନୋରଞ୍ଜନର ପରିବେଶ ସୃଷ୍ଟି କରିବାରେ ସକ୍ଷମ ଥିଲା। 

ପିଲାଟି ଦିନରୁ ମାମୁଁ ଘରେ ରହୁଥିଲି ମୁଁ । ମାମୁଁ ଘରେ ଗୋଟେ BPL ଟିଭି ଥିଲା ଓ ସେଥିରେ ଆମେ ସମସ୍ତେ ମିଶି ରାମାୟଣ , ମହାଭାରତ ଆଦି ଦେଖୁ । ଆମ ଘରେ ମଧ୍ୟ ଟିଭି ହିଁ ଦେଖନ୍ତି ସମସ୍ତେ । ବାପା କିନ୍ତୁ ଟିକେ ଅଲଗା । ସକାଳୁ ଉଠି ନିତ୍ୟକର୍ମ ସାରି ଆଗେ ରେଡିଓ ଚଲାଇ ବସି ପଡ଼ନ୍ତି ଦୁଆରେ । ତା'ପରେ ମା'ଙ୍କୁ ଡାକ ପକାନ୍ତି ଚା ଦେବାପାଇଁ । ପ୍ରଥମେ ଓଡିଆ ଭାଗବତ ଏବଂ ତା ପରେ ସମାଚାର ଶୁଣି ସାରିବା ପରେ ଦିନଚର୍ଯ୍ୟା ଆରମ୍ଭ କରନ୍ତି । ଆମେ କିନ୍ତୁ ଟିଭି ରେ ସେ ସମୟର ରୋମାଣ୍ଟିକ ଫିଲ୍ମ ଗୀତ ଦେଖୁ। ରବିବାର ଦିନ ଦୂରଦର୍ଶନରେ କେଉଁ ଚଳଚ୍ଚିତ୍ର ଦେଖିବା ବୋଲି ଅନେଇ ବସିଥାଉ । ହେଲେ ବାପାଙ୍କର ରେଡିଓ ଜିନ୍ଦାବାଦ । 


୨୦୧୨ ମସିହାର କଥା । ମାଟ୍ରିକ ପରୀକ୍ଷା ସରି ଯାଇଥାଏ । ରଜ ପାଖାପାଖି ସମୟ ହେବ ବୋଧେ। ଝଡ଼ ପବନ ଓ ବର୍ଷା ଯୋଗୁଁ ଗାଁ'ରେ ବିଜୁଳି କାଟ ହେଇଥିଲା। କିନ୍ତୁ ବର୍ଷା ପରେ ବହୁତ ସମୟ ପର୍ଯ୍ୟନ୍ତ କରେନ୍ଟ ଆସିଲା ନାହିଁ ।ବୁଝୁବୁଝୁ ଜଣାପଡ଼ିଲା ଟ୍ରାନ୍ସଫର୍ମର ପୋଡ଼ି ଯାଇଛି । ବିଜୁଳି ଆସିବାକୁ କିଛି ଦିନ ଲାଗିପାରେ । ଗୀତ ଶୁଣି ଶୁଣି ଆଉ ଫୋନ୍ କରି କରି ବାପା ଙ୍କ ଫୋନ୍ ର ଚାର୍ଜ ସାରି ଦେଇଥିଲୁ ଆମେ। ଘରେ ବସି ବସି ଭରି ଚିଡ଼ା ଲାଗୁଥାଏ । ଏକେ ତ ଖରା ଆଉ ଗରମ ପ୍ରବଳ, ଏପଟେ କରେନ୍ଟ୍ ବି ନାହିଁ । ମୋର ଏପରି ଅବସ୍ଥା ଦେଖି ବାପା ଆସି ହସିକି ପଚାରିଲେ " ଗୀତ ଶୁଣିବୁ କି? " ମୁଁ କହିଲି ଶୁଣିବି ଯେ ଶୁଣିବି କୋଉଥିରେ । ବାପା ଆଲମାରୀରୁ ରେଡିଓଟିକୁ ବାହାର କଲେ । ଦୋକାନ ରୁ କିଣି ଆଣିଥିବା ବ୍ୟାଟେରୀ କୁ ସେଥିରେ ପକେଇ ଦେଲେ । କିଛି ସୋର ଶବ୍ଦ ନ ଶୁଭିବାରୁ ଉପରୁ ତଳୁ ଟିକେ ବାଡ଼େଇ ଦେଖିଲେ ଏବଂ କିଛି ମୁହୂର୍ତ୍ତ ଭିତରେ ହଠାତ୍ ରେଡ଼ିଓ ଟି ବାଜି ଉଠିଲା । ଚ୍ୟାନେଲ ଗୁଡ଼ିକୁ ଖେଳେଇ ଦେଖିବା ଭିତରେ କେଉଁ ଏକ ପ୍ରସାରଣ କେନ୍ଦ୍ରରୁ କୁମାର ସାନୁଙ୍କ କଣ୍ଠ ଶୁଣାଗଲା "ତୁଝେ ଦେଖା ତୋ ୟେ ଜାନା ସନମ୍..." । ବାସ୍, ମନ ଟା ସେତିକି ଶୁଣିକି ହିଁ ଖୁସି ହେଇଯାଇଥିଲା । ତା ପରେ ସେହି କାର୍ଯ୍ୟକ୍ରମ କୁ ଶୁଣି ଶୁଣି ଦ୍ୱିପହର ଟି କଟି ଯାଇଥିଲା ମୋର ।

Comments

Popular posts from this blog

ମିଛ

ଗୁରୁକୃପା