ମିଛ
ମାମୁଘର ସମ୍ବଲପୁରରେ ରହି ମୁଁ ଦ୍ଵିତୀୟ ଶ୍ରେଣୀରେ ପଢୁଥାଏ। ମୋ ସ୍କୁଲ୍ ର ନା ଥିଲା ହୀରାଖଣ୍ଡ ପ୍ରାଥମିକ ବିଦ୍ୟାଳୟ, ହୀରାକୁଦ। ମୋ ଅଜା ମଧ୍ୟ ଆଗରୁ ସେହି ସ୍କୁଲ୍ ରେ ହେଡ ମାଷ୍ଟର ଥିଲେ। ଅଗଷ୍ଟ ୧୫ ତାରିଖ ର ଘଟଣା। ମୋ ସାଙ୍ଗ ଶିବୁନା ମୋତେ ଘରକୁ ଡାକିଲା । କହିଲା ଘରେ ଭୋଜି ହେଉଛି, ଚାଲ୍ ଘରେ ମଟନ ଖାଇବା। ଛୋଟବେଳରୁ ମଟନ ମୋର ଭାରି ପ୍ରିୟ। ଏବେ ଯାଏଁ ମଧ୍ୟ ରବିବାର ହେଲେ ମୁଁ ସିଧା ସକାଳୁ ମଟନ ଦୋକାନରେ ପହଞ୍ଚି ଯାଏ। ତ ବାସ୍, ମୁଁ ରାଜି ହେଇଗଲି ଶିବୁନା କଥାରେ । ସ୍କୁଲ୍ ରେ ପତାକା ଉତ୍ତୋଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାରିବା ପରେ ମୁଁ କାହାକୁ ନ ଜଣାଇ ବାହାରି ପଡ଼ିଲି ମୋ ସାଙ୍ଗ ସହିତ ତା ଘରକୁ । ତା ଘରେ ପହଞ୍ଚି ଗାଧୋଇ ପାଧେଇ ଖୁସି ରେ ଭାତ,ଡାଲି, ଖଟା,ମଟନ ପେଟେ ଖାଇଦେଇ ମୁଁ ତାଙ୍କରି ଘରେ ଶୋଇ ପଡ଼ିଲି। ଏପଟେ କିନ୍ତୁ ମୁଁ ଘର କୁ ନ ଫେରି ଥିବାରୁ ମୋ ଅଜା ଆଈଙ୍କ ମୁଣ୍ଡରେ ଚିନ୍ତା ବଢ଼ି ଯାଇଥିଲା। ସେମାନେ ସବୁଆଡେ ଖୋଜା ଖୋଜି କଲେ,କେତେ ଆଡେ ଫୋନ୍ ଲଗାଇ ଦେଖିଲେ। ମୋର କେତେ ଜଣ ସାଙ୍ଗ ଙ୍କ ଘରକୁ ମଧ୍ୟ ଯାଇକି ପଚାରିଲେ । ହେଲେ ମତେ ପାଇଲେ ନାହିଁ । ଅପରାହ୍ନ ପ୍ରାୟ ୫.୩୦ ପାଖାପାଖି ମୋ ନିଦ ଭାଙ୍ଗିଲା। ନିଦ ଭାଙ୍ଗିବା ପରେ ମୁଁ ବ୍ୟସ୍ତ ହେଇପଡ଼ିଲି ଫେରିବା ପାଇଁ, କାରଣ ମୁଁ ଘରେ ଜଣାଇ ନଥିଲି । ଶିବୁନା ର ସାଇକଲ ଧରି ସାଙ୍ଗେ ସାଙ୍ଗେ ବାହାରିଲି ଘରକୁ ।