ମିଛ
ମାମୁଘର ସମ୍ବଲପୁରରେ ରହି ମୁଁ ଦ୍ଵିତୀୟ ଶ୍ରେଣୀରେ ପଢୁଥାଏ। ମୋ ସ୍କୁଲ୍ ର ନା ଥିଲା ହୀରାଖଣ୍ଡ ପ୍ରାଥମିକ ବିଦ୍ୟାଳୟ, ହୀରାକୁଦ। ମୋ ଅଜା ମଧ୍ୟ ଆଗରୁ ସେହି ସ୍କୁଲ୍ ରେ ହେଡ ମାଷ୍ଟର ଥିଲେ। ଅଗଷ୍ଟ ୧୫ ତାରିଖ ର ଘଟଣା। ମୋ ସାଙ୍ଗ ଶିବୁନା ମୋତେ ଘରକୁ ଡାକିଲା । କହିଲା ଘରେ ଭୋଜି ହେଉଛି, ଚାଲ୍ ଘରେ ମଟନ ଖାଇବା। ଛୋଟବେଳରୁ ମଟନ ମୋର ଭାରି ପ୍ରିୟ। ଏବେ ଯାଏଁ ମଧ୍ୟ ରବିବାର ହେଲେ ମୁଁ ସିଧା ସକାଳୁ ମଟନ ଦୋକାନରେ ପହଞ୍ଚି ଯାଏ। ତ ବାସ୍, ମୁଁ ରାଜି ହେଇଗଲି ଶିବୁନା କଥାରେ । ସ୍କୁଲ୍ ରେ ପତାକା ଉତ୍ତୋଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାରିବା ପରେ ମୁଁ କାହାକୁ ନ ଜଣାଇ ବାହାରି ପଡ଼ିଲି ମୋ ସାଙ୍ଗ ସହିତ ତା ଘରକୁ ।
ତା ଘରେ ପହଞ୍ଚି ଗାଧୋଇ ପାଧେଇ ଖୁସି ରେ ଭାତ,ଡାଲି, ଖଟା,ମଟନ ପେଟେ ଖାଇଦେଇ ମୁଁ ତାଙ୍କରି ଘରେ ଶୋଇ ପଡ଼ିଲି। ଏପଟେ କିନ୍ତୁ ମୁଁ ଘର କୁ ନ ଫେରି ଥିବାରୁ ମୋ ଅଜା ଆଈଙ୍କ ମୁଣ୍ଡରେ ଚିନ୍ତା ବଢ଼ି ଯାଇଥିଲା। ସେମାନେ ସବୁଆଡେ ଖୋଜା ଖୋଜି କଲେ,କେତେ ଆଡେ ଫୋନ୍ ଲଗାଇ ଦେଖିଲେ। ମୋର କେତେ ଜଣ ସାଙ୍ଗ ଙ୍କ ଘରକୁ ମଧ୍ୟ ଯାଇକି ପଚାରିଲେ । ହେଲେ ମତେ ପାଇଲେ ନାହିଁ । ଅପରାହ୍ନ ପ୍ରାୟ ୫.୩୦ ପାଖାପାଖି ମୋ ନିଦ ଭାଙ୍ଗିଲା। ନିଦ ଭାଙ୍ଗିବା ପରେ ମୁଁ ବ୍ୟସ୍ତ ହେଇପଡ଼ିଲି ଫେରିବା ପାଇଁ, କାରଣ ମୁଁ ଘରେ ଜଣାଇ ନଥିଲି । ଶିବୁନା ର ସାଇକଲ ଧରି ସାଙ୍ଗେ ସାଙ୍ଗେ ବାହାରିଲି ଘରକୁ ।
ଘରେ ପହଞ୍ଚି ଦେଖିଲି କାନ୍ଦି କାନ୍ଦି ଆଈଙ୍କର ଅବସ୍ଥା ନାହିଁ।ଅଜା ଆଈ ଦି ଜଣ ଯାକ କିଛି ଖାଇ ବି ନଥିଲେ। ମୁଁ କୁଆଡେ ଗଲି ବୋଲି ଚିନ୍ତାରେ ପଡ଼ି ଯାଇଥିଲେ ଅଜା । ମୁଁ ଭାବିଲି ଏବେ ଯଦି ମୁଁ ସତ କଥା କହିବି ତାହେଲେ ପକ୍କା ମୁଁ ଆଜି ମଲି। ଯାଇକି ଅଜାଙ୍କୁ ମିଛ କହିଲି, "ଅଜା ଖରା ରେ ମୋ ମୁଣ୍ଡ ବୁଲେଇଲା ,ମୁଁ ରାସ୍ତା ଜାଣି ପାରିଲି ନାହିଁ , କୁଆଡେ କୁଆଡେ ପହଞ୍ଚି ଯାଇଥିଲି ବୁଲି ବୁଲି । ଭାଗ୍ୟ ଭଲ ମୋ ସାଙ୍ଗ ମତେ ଦେଖିଲା ସେଇଠି ଓ ମତେ ସେ ଟା ସାଙ୍ଗରେ ତାଙ୍କ ଘରକୁ ନେଇଯାଇ ଥିଲା। ତାଙ୍କ ଘରେ ମୁଁ ଟିକେ ଖାଇ ପି ଶୋଇଲି , ଭଲ ଲାଗିବାରୁ ଏବେ ଆସିଲି ଘରକୁ।
ଅଜା ମତେ ଦେଖି ରାଗି ଯାଇଥିଲେ କିନ୍ତୁ ମୋ କଥା ଶୁଣି ଶାନ୍ତ ହେଲେ , କହିଲେ," ତୋ ସାଙ୍ଗ କୁ ଧନ୍ୟବାଦ୍। ପ୍ରକୃତ ସାଙ୍ଗ ଏମିତି ହେଇଥାନ୍ତି । " ଆଈ ମଧ୍ୟ ମୋ କଥା ସବୁ ଶୁଣି ମତେ କେତେ ଗେଲ କରିପକାଇଲେ। ପରଦିନ ଅଜା କହିଲେ," ଚାଲ୍ ତୋ ସାଙ୍ଗ ଘରକୁ ଟିକେ ଯିବା , ଯାହା ହେଉ ବିପଦ ରେ ସଠିକ୍ ସମୟ ରେ ସେ ତୋତେ ସାହାଯ୍ୟ କରିଛି। ମୁଁ ମୋ ତରଫରୁ ଅତିକମ୍ ରେ ଦେଖା କରି ଧନ୍ୟବାଦ୍ ଜଣାଇବି ତାଙ୍କ ପରିବାର ଲୋକଙ୍କୁ"। ତାଙ୍କୁ ଅଟକାଇବାର ସବୁ ବାହାନା ଫେଲ୍ ମାରିବା ପରେ ବାଧ୍ୟ ହୋଇ ମୁଁ ବାହାରିଲି ଅଜାଙ୍କ ସହିତ ଶିବୁନା ଘରକୁ ।
ଶିବୁନା ଘରେ ପହଞ୍ଚିଲା ପରେ ଅଜା ତା ମାଆ ଙ୍କୁ ସବୁକଥା କହିବାରୁ ତା ମାଆ ଆଚମ୍ବିତ ହେଲେ । ସେ କହିଲେ ନା ତ, ସେମିତି କିଛି ହେଇନଥିଲା । ଆମ ଘରେ ଭୋଜି ଥିବାରୁ ସେ ପୁଅ ସହିତ ଆସିଥିଲା ବୁଲିବାକୁ । ଆମକୁ କହିଲା ଘରେ ଜଣାଇ ଆସିଛି ବୋଲି । ଅଜା କଣ କହିବେ ବୁଝି ପାରୁନଥିଲେ। ଚୁପ୍ ଚାପ୍ ଆମେ ସେଇଠୁ ଚାଲି ଆସିଲୁ। ଘରକୁ ଆସିବା ପରେ ଅଜା ଆଈଙ୍କୁ ସବୁ କହିଲେ ଓ ମତେ ବହୁତ୍ ଗାଳି ପଡ଼ିଲା । ଅଜାଙ୍କୁ ମିଛ କହି ବହୁତ୍ ଆଘାତ ଦେଇଥିଲି ମୁଁ କ୍ଷଣିକ ଗାଳି ମାଡ ରୁ ବଞ୍ଚିବାକୁ ଯାଇ । ସେ ୩-୪ ଦିନ ଯାଏଁ ଭଲରେ କଥା ହେଉ ନଥିଲେ ମୋ ସହିତ। ମିିଛ କହି କେତେ ବଡ଼ ଭୁଲ କରିଥିଲି ମୁଁ ତାହା ଭଲରେ ବୁଝିପାରୁଥିଲି। ସେହି ଦିନରୁ ଭାବିଲି ଯାହା ହେଇଗଲେ ବି ସତ କହି ଘଟଣାକୁ ସାମନା କରିବା ଶିଖିବି । ମିଛ କହି ଆତ୍ମୀୟ ମାନଙ୍କୁ ଆଘାତ ଦେବା ଠୁ ଭଲ ଦି ପଦ ଗାଳି ଶୁଣିଦେବା। ନିଜେ ଭୁଲ୍ କରି ପୁଣି ଆଉ ଥରେ ମିଛ କହି ସମ୍ପର୍କରେ ତିକ୍ତତା ବଢେଇବା ଠାରୁ ଭଲ ଭୁଲ୍ ପାଇଁ କ୍ଷମା ମାଗି ତାଙ୍କୁ ବୁଝେଇବା ଓ ଆଗକୁ ଭୁଲ୍ ନ ଦୋହରାଇବା ପାଇଁ ପ୍ରତିଜ୍ଞା କରିବା ।
Comments
Post a Comment