ଗୁରୁକୃପା
ସ୍କୁଲ୍ ରେ ନୂଆ ନୂଆ ନାମ ଲେଖା ଯାଇଥିଲା ମୋର। ଅନ୍ୟ ପିଲା ଯେମିତି ସ୍କୁଲ୍ ନଯିବା ପାଇଁ ବାହାନା କରନ୍ତି ମୁଁ କିନ୍ତୁ ସେମିତି କରେନି।ମତେ ସ୍କୁଲ୍ ଯିବା ପାଇଁ ବହୁତ୍ ଭଲ ଲାଗେ। ସରକାରୀ ସ୍କୁଲ୍ ହେଇଥିଲେ ବି ଆମ ସ୍କୁଲ୍ ରେ ପିଲା ମାନଙ୍କୁ କୌଣସି କ୍ଷେତ୍ରରେ ଅବହେଳା କରାଯାଇ ନଥିଲା। ଖେଳକୁଦ ହେଉ , ପାଠ ପଢା ହେଉ କିମ୍ବା ଅନ୍ୟାନ୍ୟ ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକଳାପ ଯେମିତି କି ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଲିଖନ ଇତ୍ୟାଦି ପାଇଁ ମଧ୍ୟ ସମାନ ଭାବରେ ଗୁରୁତ୍ଵ ଦେଉଥିଲେ ଶିକ୍ଷକ ମାନେ।ଏପରିକି ମାସର ଶେଷ ଶନିବାର ଦିନ ସ୍କୁଲ୍ ରେ ବିଭିନ୍ନ ପ୍ରତିଯୋଗିତା ହେଉଥିଲା ଓ ଯେଉଁମାନେ ଉତ୍ତୀର୍ଣ୍ଣ ହେଉଥିଲେ ତାଙ୍କୁ ସୋମବାର ଦିନ ପ୍ରାର୍ଥନା ସଭା ରେ ପୁରସ୍କୃତ କରାଯାଉଥିଲା।
ଅନ୍ୟ କୌଣସି କ୍ଷେତ୍ର ଅପେକ୍ଷା ଚିତ୍ରାଙ୍କନ ରେ ମୋର ଛୋଟ ବେଳୁ ଟିକେ ବେଶୀ ରୁଚି ରହିଥିଲା। କେବଳ ଚିତ୍ରାଙ୍କନ କହିଲେ ଭୁଲ୍ ହେବ, କଳାତ୍ମକ ବିଷୟ ରେ ମୁଁ ବିଶେଷ ଅନୁପ୍ରବିଷ୍ଟ ଥିଲି। ସ୍କୁଲ୍ ରେ ଜଣେ ସାର୍ ଥିଲେ ଦୁଃଶାସନ ଖମାରୀ।ସେ ପିଲା ମାନଙ୍କୁ ଚିତ୍ରାଙ୍କନ ଶିଖାନ୍ତି। ବହୁତ୍ ସରଳ ଭାବରେ ସେ ବୁଝାନ୍ତି ଓ ଚିତ୍ର କୁ ସହଜରେ ଆଙ୍କିବା ପାଇଁ ଟିପ୍ସ ଦିଅନ୍ତି। ସ୍କୁଲରେ ଗଣେଶ ପୂଜା ଓ ସରସ୍ଵତୀ ପୂଜା ବେଳେ ମୂର୍ତ୍ତି ସେ ହିଁ ଗଢନ୍ତି। ସେ ମୂର୍ତ୍ତି ଗୁଡ଼ିକୁ ଦେଖି ମୋତେ ମଧ୍ୟ ଇଚ୍ଛା ହୁଏ ମୁଁ ବି ସେମିତି ତିଆରି କରନ୍ତି ବୋଲି।ସାର୍ ଗଢ଼ିଲା ବେଳେ ଯେମିତି ଦେଖି ଥାଏ ଘରେ ଆସି ସେମିତି ଗଢ଼ିବାକୁ ଚେଷ୍ଟା କରେ,କିନ୍ତୁ ପାରେ ନାହିଁ। କିନ୍ତୁ ମନ ଭିତରେ କୋଉଠି ନା କୋଉଠି ଜିଦ୍ ଥିଲା ଯେ ମୁଁ ଦିନେ ଭଲ ଚିତ୍ର ଆଙ୍କି ଦେଖେଇବି ଓ ଭଲ ଭଲ ମୂର୍ତ୍ତି ମଧ୍ୟ ଗଢ଼ିବି।
ଖରା ଛୁଟି ରେ ମାଆଙ୍କ ପଖରେ ଅଳି କଲି ଯେ ଦୁଃଶାସନ ସାର୍ ଙ୍କ ପାଖକୁ ଚିତ୍ର ଆଙ୍କିବା ଓ ମୂର୍ତ୍ତି ଗଢିବା ଶିଖିବାକୁ ଯିବି। ମାଆ ଯାଇକି କଥା ହେଇ ଆସିଗଲେ ସାର୍ ଙ୍କ ସହିତ। ସାର୍ ରାଜି ହେଇ ଯାଇଥିଲେ ଓ ମୋତେ ସପ୍ତାହକୁ ତିନି ଦିନ ଶିଖାଉ ଥିଲେ।ଧୀରେ ଧୀରେ ମୋର ଦକ୍ଷତା ର ବିକାଶ ହେଉଥିଲା। ମୁଁ ପେନସିଲ ଧରିଲେ ଚିତ୍ର କରିବା ଆରମ୍ଭ ହୋଇଯାଉଥିଲା।ସାର୍ ମଧ୍ୟ ଖୁସି ଥିଲେ ମୋର ଉନ୍ନତି ହେବାର ଦେଖି।
ଖରା ଛୁଟି ସରିବା ପରେ ବନ ବିଭାଗ ତରଫରୁ ଏକ ପ୍ରତିଯୋଗିତା ଆୟୋଜିତ ହେଇଥିଲା।ସେଥିରେ ମୁଁ ମଧ୍ୟ ଅଂଶ ଗ୍ରହଣ କରିଥିଲି। ବିଷୟ ଥିଲା ମଣିଷ ଓ ବନ୍ୟପ୍ରାଣୀ।ବେଶ୍ ସୁନ୍ଦର କରି ଅଙ୍କିଥିଲି ମୁଁ ଚିତ୍ରଟିକୁ। ଭଲ ଭାବରେ ରଙ୍ଗ ମଧ୍ୟ ଦେଇଥିଲି। କିନ୍ତୁ ଫଳାଫଳ ପ୍ରକାଶ ପାଇଲା ବେଳକୁ କୃତକାର୍ଯ୍ୟ ହେଇଥିବା ବିଦ୍ୟାର୍ଥି ମାନଙ୍କ ମଧ୍ୟରେ ମୋ ନା ନଥିଲା। ମୋ ମନ ଭାଙ୍ଗିଗଲା। ଦୁଃଶାସନ ସାର୍ ମଧ୍ୟ ଧାଇଁ ଗଲେ ମୁଁ କରିଥିବା ଚିତ୍ର ଦେଖିବା ପାଇଁ। ମୁଁ ପ୍ରକୃତରେ ବହୁତ୍ ସୁନ୍ଦର କରିଥିଲି। ଆୟୋଜକ ମାନଙ୍କ ସହ କଥା ହେଇ ସେ ବୁଝାଇବାକୁ ଚେଷ୍ଟା କଲେ ଯେ ମୋ ଚିତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲା ଠାରୁ ମଧ୍ୟ ସୁନ୍ଦର ହେଇଛି ବୋଲି , କିନ୍ତୁ କିଛି ଲାଭ ହେଲା ନାହିଁ। ସାର୍ କିନ୍ତୁ ନିଜ ତରଫରୁ ଏକ ପୁରସ୍କାର ମୋ ପାଇଁ କିଣି ଆଣିଥିଲେ ଏବଂ ପର ଦିନ ଆମ ସ୍କୁଲ୍ ପ୍ରାର୍ଥନା ସଭାରେ ମୋ ନାଁ ଘୋଷଣା କରି ମୋତେ ପୁରସ୍କାର ଟି ପ୍ରଧାନ ଶିକ୍ଷକ ଙ୍କ ହାତରୁ ଦେଇଥିଲେ। ସମସ୍ତେ ତାଳି ମାରି ମୋତେ ବେଶ୍ ଉତ୍ସାହିତ କରିଥିଲେ। ତା ପରେ ମୁଁ ସ୍ବାଧୀନତା ଦିବସ ଅବସରରେ ହୋଇଥିବା ସବ-ଡିଭିଜନ ସ୍ତରୀୟ ପ୍ରତିଯୋଗିତା ରେ ପ୍ରଥମ ହେଇଥିଲି।
ଶିଶୁ ଦିବସ ପାଖେଇ ଆସୁଥାଏ। ଦୁଃଶାସନ ସାର୍ ମୋତେ ଡାକିଲେ ତାଙ୍କ ଘରକୁ। ମୋତେ କହିଲେ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିବା। ଏକ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ପ୍ରତିଯୋଗିତା ହେଉଛି ଯେଉଁଥିରେ କୃତକାର୍ଯ୍ୟ ହେଲେ ମୁଁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଯାଏଁ ଯାଇ ପାରିବି ଓ ନିଜର ଦକ୍ଷତା ପ୍ରତିପାଦନ କରି ପାରିବି। ବାସ୍ ମୁଁ ଲାଗି ପଡ଼ିଥିଲି। ମୋ ସାଙ୍ଗରେ ସାର୍ ମଧ୍ୟ ଲାଗିଥିଲେ। ତାଙ୍କ ଆଶୀର୍ବାଦ ରୁ ମୁଁ ବ୍ଲକ୍ ଓ ସବ୍ ଡିଭଜନ ସ୍ତରରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କୁ ମନୋନୀତ ହେଲି। ସେଠାରେ ମଧ୍ୟ ମୋତେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଥିଲା। ରାଜ୍ୟ ସ୍ତରରେ ମୁଁ ପୁରସ୍କୃତ ହୋଇ ନଥିଲେ ମଧ୍ୟ ନିଜ ପାଇଁ ବହୁତ ଗୌରବାନ୍ଵିତ ଥିଲି। କାରଣ ଆମ ସବ୍ ଡିଭିଜନ ରେ ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରିଥିବା ସର୍ବ କନିଷ୍ଠ ଛାତ୍ର ମୁଁ ଥିଲି ବୋଲି ଉପ ଜିଲ୍ଲାପାଳ ନିଜେ ଫୋନ୍ ମାଧ୍ୟମ ରେ ଶୁଭେଚ୍ଛା ଜଣେଇଥିଲେ।
ସେଦିନ ମୁଁ ଗୁରୁଙ୍କ ଆଶୀର୍ବାଦ ର ଶକ୍ତି କୁ ଅନୁଭବ କରିଥିଲି। ସତରେ ଗୁରୁ ଙ୍କ ଆଶୀର୍ବାଦ ଥିଲେ ଶିଷ୍ୟ ଦୁର୍ଗମ ପଥ ହେଉ କି ଅଶାନ୍ତ ସାଗର, ସବୁ ଲଂଘି ଯାଏ। ଗୁରୁକୃପା ଥିଲେ ସବୁ ସମସ୍ୟା ର ସମାଧାନ ମିଳିଯାଏ। ଗୁରୁ ଙ୍କ ଆଶିଷ ରୁ ଶିଷ୍ୟ ସବୁ ସ୍ଥାନରେ ସଫଳ ହୁଏ।
"।। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ , ଗୁରୁ ଦେବ ମହେଶର
ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ,ତସ୍ମୈ ଶ୍ରୀ ଗୁରବେ ନମଃ।।"
Comments
Post a Comment