ମୋ ଅନୁଭୂତିରେ ଜଗନ୍ନାଥ
ଛୋଟବେଳରୁ ଜଗନ୍ନାଥ ମୋର ଭାରି ପ୍ରିୟ। ଅଜା କୁହନ୍ତି ଜଗନ୍ନାଥଙ୍କର ଓ ମୋର ସମ୍ପର୍କ କୁଆଡେ ଜନ୍ମରୁ। କୁହନ୍ତି ମୋତେ ଯେବେ ସେ ରଥ ଛୁଆଁଇବାକୁ ନେଇକି ଯାଇଥିଲେ ରଥଯାତ୍ରା ଦିନ, ମୋତେ ପଣ୍ଡିତେ ଟେକି ନେଇଥିଲେ ରଥ ଉପରକୁ ଏବଂ କୋଳରେ ଧରି ଭୋଗ କରୁଥିଲେ। ହଠାତ୍ ମୁଁ ତାଙ୍କ କୋଳରୁ ଜଗନ୍ନାଥଙ୍କ ପାଦତଳକୁ ଗଡି ଯାଇଥିଲି।ଏହା ଦେଖି ପଣ୍ଡିତେ ଅଜାଙ୍କୁ ଆଞ୍ଚଳିକ ସମ୍ବଲପୁରୀ ଭାଷା ରେ କହିପକେଇଥିଲେ "ସାହୁବାବୁ, କାଲିଆ ତୁମର ନାତି କେ ବଡା ଭଲ୍ ପାଉଛେ ହୋ!" । ଅଜା ମଧ୍ୟ ଖୁସି ହେଇଯାଇଥିଲେ ।
ଚାରିବର୍ଷ ପୁରିଲା ବେଳକୁ ବାପାଙ୍କ ସାଙ୍ଗରେ ପୁରୀ ବୁଲିବାକୁ ଆସିଥିଲି ପ୍ରଥମଥର। ଶ୍ରୀମନ୍ଦିରରେ କାଳିଆ କୁ ଦର୍ଶନ କରିଥିଲି। କିନ୍ତୁ ଛୋଟ ଥିଲି ନା, ଆଖି ଭରି ଦେଖି ପାରିନଥିଲି। ଟିକେ ବଡ଼ ହେଲାପରେ ବାପାଙ୍କ ସାଙ୍ଗରେ ବିଭିନ୍ନ ଜାଗାକୁ ଯାଏ ରଥଯାତ୍ରା ଦେଖିବାକୁ । ଥରେ ରାଉରକେଲାରେ ରଥଯାତ୍ରା ଦେଖିବାକୁ ଯାଇଥିଲୁ, ସେଇଠି ମୁଁ ଦେଖିଲି ଜଗନ୍ନାଥଙ୍କ ବେଶ୍ ବଡ ବିଗ୍ରହ ପୂଜା ପାଉଥିଲେ। ବାପାଙ୍କୁ ଦେଖାଇ କହିଲି, "ବାପା, ଦେଖ କେତେ ବଡ଼ ଜଗନ୍ନାଥ" । ବାପା କହିଲେ ପୁରୀ ଗଲେ ଆହୁରି ବଡ଼ ଜଗନ୍ନାଥ ଦେଖିବୁ । ସେବେଠାରୁ ମନରେ ବହୁତ୍ ଇଚ୍ଛା , ପୁରୀ ଯାଇ ସେ ଆହୁରି ବଡ ଜଗନ୍ନାଥଙ୍କୁ ଟିକେ ମନଭରି ଦେଖିବି ।
ଅନେକ ଥର କାଳିଆର ଡୋରି ଲାଗିଛି ଓ ଅନେକ ଥର ଆମେ ସପରିବାର ପୁରୀ ଯାଇ ଦର୍ଶନ କରି ଆସିଛୁ ମଧ୍ୟ। କିନ୍ତୁ ସେ ଛୋଟ ବେଳରୁ ଯେଉଁ ଇଚ୍ଛା ମନଭରି ଦେଖିବାର , ତାହା ଯେପରି ପରିପୂର୍ଣ୍ଣ ହୋଇ ପାରିନଥାଏ ।+୩ ପରେ ପରେ ବ୍ୟାଙ୍କିଙ୍ଗ କୋଚିଂ ନେବାପାଇଁ ଭୁବନେଶ୍ବରରେ ଥିଲି ମୁଁ। ହଠାତ୍ ସକାଳୁ ଇଚ୍ଛା ହେଲା ପୁରୀ ଯିବା ବୁଲିକି ଆସିବା । ଦି ଚାରିଜଣ ସାଙ୍ଗଙ୍କୁ ଫୋନ୍ ଲଗାଇ ପଚାରିଲି କିଏ ଯଦି ସାଙ୍ଗରେ ଯିବେ ବୋଲି । ସମସ୍ତେ ମନା କରିଦେବାରୁ ଏକା ବାହାରିଲି ।
ଠିକ୍ ୯ ଟା ସମୟରେ ମୁଁ ପହଞ୍ଚି ଯାଇଥିଲି ବଡ ଦେଉଳ ସାମନା ରେ। ଜୋତା ଚପଲ ଆଉ ମୋବାଇଲ ଷ୍ଟାଣ୍ଡ ରେ ଥୋଇଦେଇ ମୁଁ ଧାଡ଼ିରେ ଛିଡା ହେଇଗଲି। ସେଦିନ କାହିଁକି କେଜାଣି ବହୁତ୍ ବିଳମ୍ବ ହେଉଥାଏ ଭିତରକୁ ଯିବାରେ। ମନ୍ଦିର ବେଢ଼ାରେ ପଶୁ ପଶୁ ଘଣ୍ଟାଏ ଉପରେ ହୋଇ ଯାଇଥିଲା। ବାହାରେ ପୁଣି ଆଉ ଦେଢ଼ ଘଣ୍ଟା ହେଲା ପରେ ଆଉ ଧୈର୍ଯ୍ୟ ରହିଲା ନାହିଁ । ଏକରେ ଭୀଷଣ ଖରାର ପ୍ରକୋପ ଆଉ ଦ୍ଵିତୀୟରେ ଭୋକରେ ପେଟ ଜଳି ଯାଉଥିଲା। ଭାବୁଥିଲି ଆଉ ହବନି , ମନେ ମନେ କାଳିଆକୁ ମଧ୍ୟ ଗାଳି ଦେଇ କହୁଥିଲି "କେତେ ଆଉ ହଇରାଣ କରିବୁ ମତେ , ଭାରି ଭାଉ ତୋର । ଏତେ ଖରା ରେ ହଇରାଣ ହେଇ ଭୋକଶୋଷରେ କେତେ ଅପେକ୍ଷା କରିବି ? "
ଏତିକି ବେଳେ ଦେଖୁ ଦେଖୁ ଲୋକେ "ଜୟ ଜଗନ୍ନାଥ" "ଜୟ ଜଗନ୍ନାଥ" କହି ଭିତରକୁ ଦୌଡ଼ି ବସିଲେ। ଠେଲାପେଲାରେ ମୁଁ ମଧ୍ୟ ଭିତରେ ପଶିଗଲି। କିନ୍ତୁ ପୁଣି ମୁଁ ନିରାଶ। ଏଥରକ ବି ମୁଁ ଭଲରେ ଦେଖି ପାରିନଥିଲି। ଭାବିଲି ଆଉ ଏଠିକି ଆସିି ଲାଭ ନାହିଁ , ମୁଁ ଆଉ କୋଉ ମନ୍ଦିରରେ ଦର୍ଶନ କରିଦେବି । ସେଇ ତ ଠାକୁର ଆଉ କଣ। ଏତିକି ଭାବି ଆଗକୁ ବଢ଼ୁଥାଏ, ପଛରୁ ଜଣେ ହାତ ଟାଣି ଡାକିଲେ "ଦର୍ଶନ କରିଛ କି?" ମୁଁ କିଛି କହିବା ଆଗରୁ ସେ ମତେ ଟାଣିନେଲେ ଓ ମୁଁ ଆଖି ଖୋଲିଲା ବେଳକୁ ସିଧା ମୋ ସାମ୍ନାରେ ଜଗନ୍ନାଥ। ସେଇ ବାଙ୍କ ଚାହାଣି, ସେଇ ନାଲି ହସ। ଦେହ ଶୀତେଇ ଯାଉଥାଏ। ମନ ଭରି ସେଦିନ ମୁଁ ଦେଖିଥିଲି ମୋ ଆରାଧ୍ୟ ଜଗନ୍ନାଥଙ୍କୁ। କିଛି ମୁହୂର୍ତ୍ତ ପରେ ବେଢ଼ା ପରିକ୍ରମା କରି ମୁଁ ମନ୍ଦିର ରୁ ବାହାରି ଗଲି। ଧନ୍ୟ ହୋଇ ଯାଇଥିଲି ମୁଁ ସେଦିନ । ଆଉ ସେଦିନ କଥା ମାନେ ପଡ଼ିଲେ ଆଜି ବି ଶିହରଣ ଖେଳିଯାଏ । ଧନ୍ୟ ତୁ କାଳିଆ, ସତରେ ତତେ କେବଳ ଭାବରେ ହିଁ ପାଇହୁଏ। ଜୟ ଜଗନ୍ନାଥ।
Comments
Post a Comment