ମାଡ଼ ଓ ମା'ର ମମତା

ସେତେେଳକୁ ମୁଁ ଚତୁର୍ଥ ଶ୍ରେଣୀରେ ପଢୁଥାଏ। ମା ଜଣେ ଶିକ୍ଷୟିତ୍ରୀ ଥିଲେ। ଗାଁ ସ୍କୁଲ ରେ ହିଁ ସେ ପାଠ ପଢ଼ାଉଥିଲେ। ମୁଁ ମଧ୍ୟ ତାଙ୍କ ସହିତ ସ୍କୁଲ ଯାଏ ସବୁଦିନେ। ସାଙ୍ଗସାଥୀ ମାନଙ୍କ ଭିତରେ ବହୁତ ଖାତିର ମୋର, କାରଣ ମୋ ମା ସେହି ସ୍କୁଲ୍ ରେ ଶିକ୍ଷୟିତ୍ରୀ। ସେଥିପାଇଁ ସାଙ୍ଗମାନେ ଭାବନ୍ତି ଯେ ୟା ସହିତ ମିଶିଲେ ଆଗୁଆ ପରୀକ୍ଷା ପ୍ରଶ୍ନପତ୍ର ମିଳିଯିବ। ସେମାନଙ୍କ ଧାରଣା ଏୟା ଯେ ମୋତେ ପରୀକ୍ଷା ଆଗରୁ ପ୍ରଶ୍ନ ସବୁ ଜଣାଥାଏ । ମାଡ଼ମଙ୍କ ପୁଅ ବୋଲି ସବୁ ସାର୍ ଆଉ କର୍ମଚାରୀ ମାନେ ଭାରି ଭଲ ବି ପାଆନ୍ତି। ତୃତୀୟ ଶ୍ରେଣୀରେ ବୃତ୍ତି ମଧ୍ୟ ପାଇଥିଲି ତେଣୁ ସ୍କୁଲ ରେ ଜଣେ ମେଧାବୀ ଛାତ୍ର ହିସାବରେ ସମସ୍ତେ ଜାଣିଥିଲେ। ଏଇ ସବୁକୁ ଦେଖି ସାଙ୍ଗମାନେ ଭାରି ଉପରକୁ ଟେକି ଦିଅନ୍ତି ମୋତେ, ଆଉ ମୁଁ ବି ମନେ ମନେ ଟିକିଏ ଖୁସି ହେଇଯାଏ।


ମା ଚତୁର୍ଥ ଶ୍ରେଣୀରେ ସାହିତ୍ୟ ଓ ସାମାଜିକ ବିଜ୍ଞାନ ପଢ଼ାନ୍ତି। ଥରେ ୟୁନିଟ୍ ଟେଷ୍ଟ ହେବାର ନୋଟିସ ଆସିଲା। ସାଙ୍ଗମାନେ ପରୀକ୍ଷା କଥା ଶୁଣି ଟିକେ ଆତଙ୍କିତ ହେଇଗଲେ। ସ୍କୁଲ୍ ଛୁଟି ହେଲାପରେ ତିନି ଚାରିଜଣ ସାଙ୍ଗ ଆସି ମୋତେ ଖୋସାମତ କଲେ ପ୍ରଶ୍ନପତ୍ର ପାଇଁ। ମୁଁ ତାଙ୍କୁ ପ୍ରଶ୍ନ ଆଣିକି ଦେଲେ ୧୦ ଟଙ୍କା ଲେଖାଏଁ ଦେବେ ବୋଲି ମଧ୍ୟ କହିଲେ। ସେତେବେଳେ ୧୦ ଟଙ୍କା ମୋ ପାଇଁ ବହୁତ୍ ବେଶୀ ଥିଲା । ୩୦-୪୦ ଟଙ୍କା ଲୋଭରେ ମୁଁ ମାଆଙ୍କ ଅନୁପସ୍ଥିତିରେ ପ୍ରଶ୍ନପତ୍ର ଆଣି ସାଙ୍ଗ ମାନଙ୍କୁ ଦେଇଦେଲି। ଖାତା ଦେଖିବା ବେଳକୁ ମା ଦେଖିଲେ ଯେ ବହୁତ୍ ଜଣଙ୍କର ଉତ୍ତର ସମାନ ଅଛି। ଯିଏ ପାସ କରିବା କଷ୍ଟ ସେ ମଧ୍ୟ ଉତ୍ତର ସଠିକ୍ ଲେଖିଛି। ତାଙ୍କୁ ସନ୍ଦେହ ହେଲା ।  ଆରଦିନ କ୍ଲାସ୍ ରେ ପିଲାଙ୍କୁ ପଚାରିଲେ କପି କରି ଲେଖିଛ କି ବୋଲି ? ସମସ୍ତେ ଚୁପ୍ ରହିବାରୁ ମୋ ସାଙ୍ଗ ପିଲା ଭିତରୁ ଯାହାକୁ ଉତ୍ତର ନ ଆସୁଥିବ ସେମିତି ଜଣକୁ ଗୋଟେ ପ୍ରଶ୍ନ ସେହି ପରୀକ୍ଷା ଦେଇଥିବା ପ୍ରଶ୍ନରୁ ହିଁ ପଚାରି ଦେଲେ। ସେ ଉତ୍ତର ଦେଇନପାରି ମାଡ଼ ଖାଇଲା ।  ୨-୪ ପାହାର ପାଇବା ପରେ ସେ ମୋର କାଣ୍ଡ କାରନାମା ସବୁ କହିଦେଲା। 

ମୋର ଚୋରି କଥା ସବୁ ଛାତ୍ରଛାତ୍ରୀ ତଥା ସାର୍ ମାନେ ସମସ୍ତେ ଜାଣିଲେ ଓ ସମସ୍ତଙ୍କ ଆଗରେ ମୋ ମା' ଙ୍କ ମୁଣ୍ଡ ଲଜ୍ୟା ରେ ନଇଁଗଲା। ମୋତେ ମଧ୍ଯ ବହୁତ୍ ଖରାପ ଲାଗୁଥିଲା। ମା ମୋ ସହିତ କଥା ହେଉନଥଲେ। ଘରକୁ ଆସିବାପରେ ବାପା ସବୁ ଜାଣିଲେ ଆଉ ଗୋଟେ ବାଡି ଭାଙ୍ଗି ଆଣି ମତେ ବାଡେଇବାକୁ ବାହାରିଲେ। ସାଙ୍ଗେ ସାଙ୍ଗେ ମା ରୋଷେଇ ଘରୁ ବାହାରି ବାପାଙ୍କୁ ଅଟକାଇଲେ। ମୋ ଆଗରେ ଆସିକି ଛିଡା ହୋଇ କହିଲେ ମୋ ପୁଅ କୁ ତୁମେ କିଛି କରିପାରିବନି। ତଥାପି ବାପା ପରେ ଆସି ବାଡି ଛିଣ୍ଡିବା ଯାଏଁ ବାଡ଼େଇ ଥିଲେ।



ମାଡ଼ ଖାଇ ଗୋଡ଼ ହାତ ଦରଜ ହୋଇଯାଇଥାଏ। ବିଛଣାରେ ଗଡି କାନ୍ଦୁଥିଲି ମୁଁ। ମା ମାଡ଼ ଖାଇଥିବା ଜାଗା ରେ ଔଷଧ ଲଗେଇ ଦେଲା ବେଳେ ଖୁବ୍ କାନ୍ଦୁଥିଲେ। ବାପାଧନ କରି କେତେ କଣ ବୁଝେଇ ଦେଉଥିଲେ। କହୁଥିଲେ କୁସଙ୍ଗ ର ପରିଣାମ ଦେଖିଲୁ ତ ? ପରକଥାରେ ପଡ଼ି ନିଜେ କେମିତି କଷ୍ଟ ପାଇଲି ଆଉ କେମିତି ମୋ ମା'ର ମୁଣ୍ଡ ମୋ ପାଇଁ ତଳକୁ ହେଇଗଲା ସେକଥା ମୁଁ ମନେ ମନେ ଭାବୁଥିଲି। ବୁଝି ପାରୁଥିଲି ମା କେତେ ମହାନ୍, ନିଜେ ପଛେ ସବୁ ସହିଯିବେ, ହେଲେ ପୁଅକୁ କିଛି ହେବାକୁ ଦେବେନି। ସତରେ ମା'ଙ୍କ ମମତା ର ତୁଳନା ନାହିଁ।

Comments

Popular posts from this blog

ମିଛ

ଗୁରୁକୃପା

ବାପାଙ୍କ ରେଡ଼ିଓ