ଘୃଣା

 ମତେ ସେତେବେଳେ ସାତ ବର୍ଷ ହେଉଥାଏ। ସୁନ୍ଦରଗଡ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରେ ଆମେ ରହୁଥିଲୁ ସପରିବାର। ସାହି ପଡିଶା ସହ ବେଶ୍ ଭଲ ସମ୍ପର୍କ ଥିଲା। ଘର ପାଖାପାଖି ଦୁଇ ଚାରି ଜଣ ସାଙ୍ଗ ମଧ୍ୟ ମିଳି ଯାଇଥିଲେ ମିଶିବା ପାଇଁ। ତାଙ୍କରି ସହିତ ଖେଳେ, ବୁଲିବାକୁ ଯାଏ, ଆମେ ଗାଁ ବସ୍ ଷ୍ଟାଣ୍ଡରେ ଥିବା ଦୋକାନରେ ବରା ପିଆଜି ଖାଉ, ଏମିତି କେତେ ମଜା କରୁ। ଆମ ସାହିରେ ଗୋଟେ ପିଲା ରହୁଥିଲା "ମୁନା "। କେଜାଣି କାହିଁକି ପଡିଶା ଘରର ମାଉସୀ ତା ସହ ମିଶିବାକୁ ସବୁବେଳେ ବାରଣ କରନ୍ତି । ମା ମଧ୍ୟ ମୋତେ କେତେ ଥର ମନା କରିଛନ୍ତି ତା ସହ ମିଶିବୁନି କିମ୍ବା ତାଙ୍କ ଘର ଆଡେ ଯିବୁନି ବୋଲି। ମନରେ ସବୁବେଳେ ଗୋଟେ କୌତୁହଳ ସୃଷ୍ଟି ହୁଏ, କାହିଁକି ମୋତେ ମନା କରୁଛନ୍ତି ସମସ୍ତେ ? କାହିଁକି ଏତେ ଘୃଣା କରନ୍ତି ମୁନା ଓ ତାର ପରିବାରକୁ?


           ମୁନାର ପରିବାର ବିଷୟରେ କହିବାକୁ ଗଲେ ତା ବାପା ବି ମୋ କକାଙ୍କ ବୟସର ହେବେ। ମୁନା ମୋ'ଠାରୁ ବର୍ଷେ ସାନ ହେବ ବୋଧେ। ଗାଁ ଲୋକେ କୁହନ୍ତି ତା ବାପାଙ୍କ ମସ୍ତିଷ୍କ ବିକୃତି ଥିଲା।ସେ କିଛି କାମ କରୁନଥିଲେ। ଲୁଙ୍ଗି ଗୋଟିଏ ପିନ୍ଧି ଗାମୁଛା ଟିଏ ଅଣ୍ଟାରେ ବାନ୍ଧି ସେ ଏଠି ସେଠି ବୁଲୁଥାନ୍ତି। ମୁଁ ଦେଖିବାରେ ମୁନାର ମା ହିଁ ସବୁବେଳେ ତାଙ୍କୁ ବୁଝେଇ ସୁଝେଇ ଓ ନ ବୁଝିଲେ ଟାଣି ଟାଣି ଘରକୁ ନେଇକି ଯାଆନ୍ତି। ସଞ୍ଜ ବେଳେ ମୁନା'ର ମା ଗୋଟେ ଠେଲା ରେ ଗୁପଚୁପ, ଚାଟ ଓ ଝାଲ ମୁଢ଼ି ବିକ୍ରୀ କରନ୍ତି । ସେଇଥିରୁ ଯାହା ଆୟ ହୁଏ ସେଥିରେ ତାଙ୍କ ପରିବାର ଚଳେ। 

                 ସ୍କୁଲ୍ ରେ ମଧ୍ୟ ମୁନାକୁ ପିଲାମାନେ ବହୁତ ହଇରାଣ କରିବାର ଦେଖିଛି ମୁଁ । ପିଲା ମାନେ ଖୁବ୍ ଟାହି ଟାପରା ମଧ୍ୟ କରନ୍ତି । ମୁଁ ବି ଅନେକ ଥର ସାଙ୍ଗ ମାନଙ୍କ ସହିତ ମିଶି ତାକୁ ହଇରାଣ କରିଛି । କିନ୍ତୁ ମନେ ମନେ ସବୁବେଳେ ଗୋଟେ କଥା ଭାବେ ଯେ କାହିଁକି ସମସ୍ତେ ମନା କରୁଛନ୍ତି ତା ସହ ମିଶିବା ପାଇଁ କିମ୍ବା ତାଙ୍କ ଘରକୁ ଯିବା ପାଇଁ । ଥରେ କିନ୍ତୁ ମୋ ମା ଜଣେ ସ୍ତ୍ରୀ ଲୋକ ସହିତ କଥା ହେଲାବେଳେ ମୁଁ ଶୁଣିବାକୁ ପାଇଲି ଯେ ମୁନା ଘରକୁ ଅନେକ ଲୋକ ଯିବା ଆସିବା କରନ୍ତି , ତା ମା'ଙ୍କର ଅନେକ ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ଅଛି।ସେଥିପାଇଁ କେହି ତାଙ୍କ ଘରକୁ ଯାଆନ୍ତିନି। ଶୁଣିଲା ପରେ ଯେତିକି ଆଶ୍ଚର୍ଯ୍ୟ ଲଗିଲା, ସେତିକି ଘୃଣା ମଧ୍ୟ ଲାଗୁଥିଲା। ଭାବୁଥିଲି ମନେ ମନେ, "ଠିକ୍ ହେଇଛି, ଏମିତି ହେବା କଥା ମୁନା ସହିତ।" ମୁଁ ତା ପର ଠାରୁ ଆହୁରି ହଇରାଣ କଲି ପିଲାଟିକୁ। ତାର ବହିପତ୍ର ମଧ୍ୟ ଥରେ ଫୋପାଡି ଦେଇଥିଲି ମୁଁ। ତା ମା ଆମ ଘରକୁ ଅଭିଯୋଗ କରିବାକୁ ଆସିଥିଲେ କିନ୍ତୁ ମୁ ବାପାଙ୍କୁ କହିଦେଲି ଯେ ସେ ମୋ ଖାତା ଚିରିଦେଲା ଆଗେ,ତା ପରେ ମୁଁ ସେମିତି କରିଥିଲି। ବାପା ତା ମା ଙ୍କୁ ଆଉ ଦି ପଦ ଗାଳି ଶୁଣେଇ ଦେଲେ। ଦୁଃଖରେ ତା ମା ଫେରିଗଲେ ଆମ ଦୁଆରୁ। ବାପା ମତେ ମନା କଲେ ତା ସହ ଲାଗିବାକୁ, ଏବଂ ମୁଁ ତାକୁ ହଇରାଣ କରିବା ବନ୍ଦ କରିଦେଲି ।


           କିଛି ବର୍ଷ ବିତି ଯାଇଥିଲା, କିନ୍ତୁ ସମସ୍ତଙ୍କର ମୁନା ସହ ଦୁର୍ବ୍ୟବହାର କମି ନଥିଲା। କୌଣସି କାମରେ ବାପା ସାଇକଲ ନେଇ ୨-୩ କିମି ଦୂରରେ ଥିବା ଏକ ଗାଁ କୁ ଯାଇଥିଲେ। ଜଣଙ୍କ ଘରେ ବସି କଥା ହେଉଥିଲେ ବାପା ସାଇକଲ ଟିକୁ ବାହାରେ ରଖିଦେଇ। କଥାବାର୍ତ୍ତା ସାରି ବାହାରକୁ ଆସିଲା ବେଳକୁ ସାଇକଲ ଟି ବାହାରେ ନାହିଁ । ଆଖପାଖରେ ପଚାରିବାରୁ ମଧ୍ୟ କିଛି ଜଣା ପଡ଼ିଲା ନାହିଁ । ସାଇକଲ ଟି ଚୋରି ହେଇଯାଇଥିଲା। ବାପାଙ୍କ ବନ୍ଧୁ ଜଣକ ବାଇକ୍ ରେ ବାହାରିଲେ ବାପାଙ୍କୁ ଘରେ ଛାଡ଼ିଦେବା ପାଇଁ। କିଛି ବାଟ ଗଲାପରେ ବିପରୀତ ଦିଗରୁ ଧାଇଁ ଧାଇଁ ଜଣେ ସ୍ତ୍ରୀ ଲୋକ ଆସୁଥିବାର ଦେଖି ଗାଡ଼ି ଅଟକାଇଲେ ବାପାଙ୍କ ବନ୍ଧୁ। ସ୍ତ୍ରୀ ଲୋକ ଟି କହିଲା,"ଗୋଟେ ସାଇକଲ କୁ ଟେକି ଟେକି ୨ ଜଣ ପିଲା ନଈ ପଠାରେ ଯାଉଛନ୍ତି, ଶୀଘ୍ର ଚାଲ ନହେଲେ ଡଙ୍ଗାରେ ବସି ଫେରାର ହେଇଯିବେ।" ସାଙ୍ଗେ ସାଙ୍ଗେ ଗାଡ଼ି ବୁଲାଇ ନଦୀ କୂଳକୁ ବାହାରିଲେ ବାପା ଓ ତାଙ୍କ ସାଙ୍ଗ। ସାଙ୍ଗ ଜଣକ ବାପାଙ୍କୁ ସୂଚନା ଦେଲେ ଯେ ତାଙ୍କ ସାହି ଭିତରୁ ମଧ୍ୟ ନଦୀ କୂଳକୁ ଯିବାପାଇଁ ଏକ ଅଣଓସାରିଆ ରାସ୍ତା ଯାଇଛି। ସେ ଯାହା ହଉ , ସେ ଜାଗାରେ ଯାଇ ଦେଖିଲା ବେଳକୁ ସେଇଟା ଆମ ସାଇକଲ ହିଁ ଥିଲା। ଆଉ ସେ ସାଇକଲ ବିଷୟରେ ଖବର ଦେଇଥିବା ସ୍ତ୍ରୀ ଲୋକ ଥିଲେ ମୁନା ର ମା। ତାଙ୍କ ପାଇଁ ବାପା ନିଜର ପୁରୁଣା ସ୍ମୃତି ଜଡ଼ିତ ଥିବା ଅମୂଲ୍ୟ ସାଇକଲ ଟିକୁ ପାଇ ପାରିଥିଲେ। 


               ଘରକୁ ଆସି ବାପା ସବୁକଥା ଜଣାଇଲେ। ମୁଁ ମଧ୍ୟ ଶୁଣିଲି ସବୁକଥା ଆଉ ମତେ ମନେ ପଡିଯାଇଥିଲା ସେଦିନର ଘଟଣା। ମୋ କଥାରେ ପଡ଼ି ବାପା ସେହି ସ୍ତ୍ରୀ ଲୋକଟିକୁ ଓଲଟା ଗାଳି ଶୁଣେଇ ଦେଇଥିଲେ। ସେଦିନ ମୋତେ ନିଜ ଉପରେ ଘୃଣା ଆସୁଥିଲା। ମୁନା ର ମା'ଙ୍କ ବିଷୟରେ ମୁଁ ଯାହା ଶୁଣିଥିଲି ତାହା କେତେଦୂର ସତ ଥିଲା ମୁଁ ଜାଣି ନଥିଲି କେବେ , କେବେ ଆଖିରେ ଦେଖି ନଥିଲି ତାଙ୍କ ଘରକୁ ଅନ୍ୟ ପୁରୁଷ ଯିବା ଆସିବା କରିବାର। କିନ୍ତୁ ଶୁଣା କଥାରେ ବିଶ୍ବାସ କରି ପିଲାଟିକୁ ହଇରାଣ କରିବାକୁ ପଛେଇ ନଥିଲି ମୁଁ । ସତରେ ଅନ୍ୟ ପ୍ରତି ଘୃଣା କେତେ ଯେ ଘୃଣ୍ୟ କାମ ନିଜ ଦ୍ଵାରା ହିଁ କରେଇ ଦିଏ , ତାହା ମୋର ହୃଦବୋଧ ହେଲା ସେଦିନ।

Comments

Popular posts from this blog

ମିଛ

ଗୁରୁକୃପା

ବାପାଙ୍କ ରେଡ଼ିଓ